Itirani Samanta

Blog

Home  >>  Blog

ଅଭୁଲା ସ୍ମୃତି

ଅଭୁଲା ସ୍ମୃତି…

ଆଗକୁ ଆସୁଛି ଦୁର୍ଗାପୂଜା I ସେଇ ଦୁର୍ଗାପୂଜା ଆସୁଛି ବୋଲି ଆଜି ଏମିତି ଗୋଟେ କଥା ମୋ ମନକୁ ଆହୁରି ଥରେ, ଆହୁରି ଥରେ, ଆହୁରି ଥରେ, ଥରକୁ ଥର ବାରମ୍ବାର ଆନ୍ଦୋଳିତ କରିଚାଲିଛି I ଭାବିଲି ସେଇ କଥାକୁ ଆପଣମାନଙ୍କ ସହିତ ବାଣ୍ଟିବା ପାଇଁ I
ପିଲାଦିନେ ଦୁର୍ଗାପୂଜା ଗୋଟେ ଏମିତି ଉତ୍ସବ ଥିଲା ମୋ ପାଇଁ; ବର୍ଷଟା ସାରା ଅନେଇ ରହୁଥିଲି କେବେ ଦୁର୍ଗାପୂଜା ଆସିବ ! କାରଣ, ଦୁର୍ଗାପୂଜା ଆମ ଘରେ ଗୋଟିଏମାତ୍ର ଉତ୍ସବ ଥିଲା ଯେଉଁଥିରେ ନୂଆ ଫ୍ରକ୍ ଟିଏ ମିଳୁଥିଲା ମୋତେ I କାହିଁକି ନା’ ଆମର ପାରିବାରିକ ପରିସ୍ଥିତି ସେମିତି ନଥିଲା ଯେ ମୋତେ ବର୍ଷକୁ ଦୁଇ ଚାରିଟା ଫ୍ରକ୍ ମିଳିପାରିବ। ବର୍ଷ ସାରା ସେଇ ଗୋଟିଏ ଫ୍ରକ୍ ପିନ୍ଧି ମୁଁ ଘର କାମ କରିଥାଏ, ବାହାର କାମ କରିଥାଏ, ପତ୍ର ଗୋଟେଇ ଜାଳ କରିଥାଏ, ସ୍କୁଲ ବି ଯାଇଥାଏ, ବାହାରକୁ ବୁଲିଗଲାବେଳେ ବି ତାକୁ ହିଁ ପିନ୍ଧି କି ଯାଇଥାଏ I ଗାଧେଇବା ବେଳେ ଭିଜିଗଲେ, ଓଦା ହେଇଗଲେ ପୂର୍ବ ବର୍ଷର ଗୋଟିଏ ଛିଣ୍ଡା ସତରସିଆଁ ଫ୍ରକ୍ ଟି ବେଳେ ଅଧେ କାମରେ ଲଗେଇଥାଏ I ଗୋଟିଏ ଫ୍ରକ୍ ରେ ଏତେ ସବୁ କାମ କରିବା ଭିତରେ କିଛି ମାସ ପରେ ଫ୍ରକ୍ ଟି ବାରମ୍ବାର ଛିଣ୍ଡି ଯାଇଥାଏ ବହୁତ ଜାଗାରେ I ଆଉ ତାକୁ ହିଁ ସିଲେଇ କରିକରି ମୁଁ ପିନ୍ଧିଥାଏ I ଦୁର୍ଗାପୂଜା ବେଳେ ବଡ ଭାଇ ଟାଟାରୁ ଆମ ପାଇଁ ଡ୍ରେସ କପଡା କେତେବେଳେ ନିଜେ ନେଇ ଆସିଥାନ୍ତି ତ ଆଉ କେତେବେଳେ କାହା ହାତରେ ପଠେଇଥାନ୍ତି । ତେବେ ଅଲଗା ସମୟରେ ମଝିରେ କେତେବେଳେ କେହି ଯଦି ଟାଟାରୁ ଆସୁଥାନ୍ତି ତେବେ ବଡ ଭାଇ ସେମାନଙ୍କ ହାତରେ ଆମ ପାଇଁ କପଡା ପଠେଇଥାନ୍ତି I ଯଦିଓ ସେତେବେଳେ ଟାଟା ନଗରରୁ ଗାଁକୁ ପ୍ରାୟ ସମୟରେ ଯିବା ଆସିବା ଏତେ ବେଶୀ ସହଜ ନଥିଲା ବା ଏତେ ବେଶୀ ଲୋକ ଯିବା ଆସିବା ମଧ୍ୟ କରୁନଥିଲେ; ତେବେ ବି କେହି ଯଦି ସେତେବେଳେ ଆସୁଥାନ୍ତି ବଡ ଭାଇ ନିଶ୍ଚିତ ଭାବରେ ସେମାନଙ୍କ ହାତରେ ଆମମାନଙ୍କ ପାଇଁ ଡ୍ରେସ କପଡା ପଠେଇଥାନ୍ତି I ତା’ ଭିତରେ ମୋ ଫ୍ରକ୍ କପଡାଟା ସବୁଠୁ ସୁନ୍ଦର ହେଇଥାଏ । ବହୁତ ସୁନ୍ଦର ଫୁଲଫୁଲିଆ ଫ୍ରକ୍ କପଡା। ଦୁର୍ଗାପୂଜା ବେଳେ ବଡ ଭାଇ ଟାଟାରୁ ପଠାଉଥିବା ଫ୍ରକ୍ କପଡ଼ାରେ ମୋର ଫ୍ରକ୍ ଟିଏ ତିଆରି ହୁଏ; କିନ୍ତୁ ମଝି ସମୟରେ ପଠେଇଥିବା ସେଇ ରଙ୍ଗବେରଙ୍ଗ ଫୁଲଫୁଲିଆ ଛିଟ କପଡାର ତିଆରି ଫ୍ରକ୍ ପିନ୍ଧିବା ମୋ ଭାଗ୍ୟରେ ଜୁଟି ନଥାଏ I କାହିଁକିନା ସେଇ କପଡ଼ାରେ ମା ସାର୍ଟ ତିଆରି କରିଥାଏ ଭାଇ (@achyutasamanta.com) ପାଇଁ I ମୁଁ ଗୋଡ କଚାଡି କି କାନ୍ଦେ, ଭାଇ ସାଙ୍ଗରେ ଝଗଡା କରେ, ମା’ ସାଙ୍ଗରେ ମଧ୍ୟ ଝଗଡା କରେ ଆଉ ମା’ କୁ କୁହେ, ”ଝିଅ ପିଲା କପଡ଼ାରେ ତା’ର କେମିତି ସାର୍ଟ କରିଦେଉଛୁ ? ମୋର ତ ଝିଅ ପିଲା କପଡା ।”
ମୋ ମା’ ଏଭଳି ଜଣେ ମହିଳା ଥିଲା ସିଏ ସବୁବେଳେ ବିଶ୍ୱାସ କରୁଥିଲା, ପରିସ୍ଥିତି ସହିତ କେମିତି ଖାପ ଖୁଏଇ ଚଳି ହେବ I ଯଦିଓ ସିଏ ଥିଲା ବଡ଼ଲୋକ ଘରର ଝିଅ ବାହାଘର ଆଗରୁ କିନ୍ତୁ ବାହାଘର ପରେ ଆମର ଯେଉଁଭଳି ଭାବରେ ଖରାପ ପାରିବାରିକ ପରିସ୍ଥିତି ସେଥିରେ ସିଏ ତା’ର କୌଣସି ବନ୍ଧୁବାନ୍ଧବଙ୍କ ପାଖରୁ କେବେ ବି କୌଣସି ପ୍ରକାରର ସାହାଯ୍ୟ ନ ନେଇ ଏକାଏକା ପରିସ୍ଥିତିର ମୁକାବିଲା କରି କେମିତି ଚଳିବ ସେଇ କଥା ଭାବୁଥିଲା ଏବଂ ସେଇଭଳି ଭାବରେ ଚଳୁଥିଲା I
ଯେତେବେଳେ ମୁଁ ଗୋଡ କଚାଡି କାନ୍ଦୁଥିଲି ମା’ ବୁଝେଇ କହୁଥିଲା, ”ଏଇଟା ତୋର କପଡା, ତୋର ଏଥିରେ ଫ୍ରକ୍ ଟିଏ ହୋଇଥିଲେ ନିଶ୍ଚିତ ଭାବରେ ସୁନ୍ଦର ହେଇଥାନ୍ତା I କିନ୍ତୁ ତୁ ତ ଯାହା ବି ହେଲେ ଗାଁରେ ପାଠ ପଢ଼ୁଛୁ I ସେ ହାଇ ସ୍କୁଲରେ ପଢ଼ିଲାଣି I ସ୍କୁଲ ଟିଉସନ ଯିବା ସହ ହାଟ ବଜାର କରୁଛି I ତା’ର କ’ଣ ବର୍ଷ ସାରା ଗୋଟିଏ ସାର୍ଟରେ ହେଉଛି I ତା’ର ଦୁଇ ତିନିଟା ସାର୍ଟ ଦରକାର I ତେଣୁ ତା’ ପାଇଁ ସାର୍ଟଟି କରିଦେଉଛି I ଆଉ ଯେତେବେଳେ ଆମର କିଛି ନାହିଁ ସେତେବେଳେ ପୁଅପିଲା ଝିଅ ପିଲା କପଡା କ’ଣ ? ଭାଇ ସାର୍ଟ ପିନ୍ଧିଲେ ହେଲା । ତୁ ଗାଁ ସ୍କୁଲରେ ପଢ଼ୁଛୁ, ଟିକିଏ ଚଳେଇ ଦେବୁ I ”
ଭାଇ ବି ଆଖି ଛଳଛଳ କରି ମୋତେ ବୁଝେଇ ଦେଉଥିଲା, ”ମୋର କ’ଣ ମନ ଅଛି ତୋର ଫ୍ରକ୍ କପଡା ନେବା ପାଇଁ ? କିନ୍ତୁ କ’ଣ କରିବି କହ I ମା’ ଯୋଉ କଥା କହିଲା ସେକଥା ପୂରା ଠିକ I ହଉ ମନ ଦୁଃଖ କରନା I ଆଜି ସିନା ଆମର କିଛି ନାହିଁ ବୋଲି ତୋ ଫ୍ରକ୍ କପଡା ନେଇକି ମା’ ମୋର ସାର୍ଟ କରିଦେଉଛି । ଦେଖିବୁ ମୁଁ ଦିନେ ବଡ ହେବି ତତେ ବହୁତ ଫ୍ରକ୍ ଦେବି । ଖାଲି ତତେ ନୁହେଁ ଆମ ସବୁ ଭାଇ ଭଉଣୀଙ୍କୁ ଦେବି, ମା’କୁ ଦେବି; ସମସ୍ତଙ୍କୁ ମୁଁ ଦେବି ।”
ଭାଇର ବୟସ ବଢ଼ିଲା। ଆମ ସମସ୍ତଙ୍କର ବି ବୟସ ବଢ଼ିଲା। ଜୀବନ ରାସ୍ତାରେ ବହୁତ ବାଟ ଆଗେଇ ଗଲୁ ଆମେ। ବହୁତ କିଛି ପରିବର୍ତ୍ତନ ହେଲା। ଭାଇ (@achyutasamanta.com) ବଡ ହେଲା ଆମ ସମସ୍ତଙ୍କ ପାଇଁ ବହୁତ କିଛି କଲା। କେବଳ ଆମ ପାଇଁ ନୁହେଁ ସାରା ସଂସାରର ଲୋକଙ୍କ ପାଇଁ ବହୁତ କିଛି କଲା ଏବଂ କରୁଛି ମଧ୍ୟ। ତା’ର ପାରୁ ପର୍ଯ୍ୟନ୍ତ ସେ କେବଳ କରି ଚାଲିଛି ସମସ୍ତଙ୍କ ପାଇଁ। କିନ୍ତୁ ମୁଁ ସବୁବେଳେ ଦେଖେ ସେ କାହାରି ପାଖରୁ କେବେ କିଛି ନେବା ପାଇଁ ଆଶା କରେନାହିଁ । ଆମକୁ ତା’ର ସ୍ନେହ ମମତାରେ ଏତେ ବେଶୀ ପରିପୂର୍ଣ୍ଣ କରିଦେଇଛି ଯେ ଆମ ପରିବାରରେ କାହାରି କିଛି ଲୋଡ଼ା ବି ନାହିଁ । ଏମିତିରେ ବି ମା’ ଆମ ସବୁ ଭାଇ ଭଉଣୀକୁ ଶିଖେଇଥିଲା, ‘କୌଣସି ଜିନିଷ ପାଇଁ କେବେ ହାଇଁପାଇଁ ହେବ ନାହିଁ କି ଲୋଭ ମୋହ କରିବ ନାହିଁ । ଈଶ୍ୱର ତୁମକୁ ଯେତିକି ଦେବେ, ତାହାହିଁ ତମର ପ୍ରାପ୍ୟ ବୋଲି ଭାବି ସେତିକିରେ ଖୁସିରେ ରହିବାକୁ ଚେଷ୍ଟା କରିବ ତୁମେମାନେ । ସେମିତି କଲେ ଦେଖିବ, ତୁମେମାନେ ଜୀବନରେ ଆଗକୁ ବଢ଼ିପାରିବ ଆଉ ଖୁସିରେ ରହି ପାରିବ ।’

Leave a Comment