Itirani Samanta

Blog

Home  >>  Blog

ଇତି_କଥା

ସତୁରି ଦଶକର କଥା ।
ସେତେବେଳେ କଟକରୁ ଟାଟା ନଗର ଯିବାକୁ ହେଲେ ମାତ୍ର କେତୋଟି ଟ୍ରେନ୍‍ର ସୁବିଧା । ତତ୍‍କାଳୀନ ଅବିଭକ୍ତ କଟକ ଜିଲ୍ଲା ଅନ୍ତର୍ଗତ ଆମ ଗାଁ କଲରାବାଙ୍କରୁ ଟାଟାନଗର ଯିବାକୁ ହେଲେ ଗାଁରୁ ବସ୍‍ ରେ କଟକ ଯାକେ ଯାଇ କଟକ ଷ୍ଟେସନ୍‍ରୁ ଟ୍ରେନ୍‍ ଧରିବାକୁ ହେଉଥିଲା । ମା’ ଟାଟାନଗର ପ୍ରାୟତଃ ଯାଉଥିଲା । ତା’କୁ ଭଲ ଲାଗୁଥିଲା ଟାଟାନଗର ଯିବା ପାଇଁ । ଯିବାକୁ ହିଁ ପଡୁଥିଲା ତା’କୁ । ଟାଟାରେ ରହୁଥିଲେ ବଡ଼ଭାଇ ଏବଂ ମଝିଆ ଭାଇ । ଯେହେତୁ ବାପାଙ୍କର ଅସମୟରେ ଟ୍ରେନ୍‍ ଆକ୍ସିଡେଣ୍ଟରେ ମୃତ୍ୟୁ ହୋଇଥିଲା, ବାପାଙ୍କ ଜାଗାରେ ବଡ଼ ଭାଇଙ୍କୁ ଛୋଟିଆ ଚାକିରିଟିଏ ମିଳିଥିଲା ଟାଟାକମ୍ପାନୀରେ । ଏଣୁ ମା’ ମଝିରେ ମଝିରେ ଯାଉଥିଲା ଭାଇମାନଙ୍କ ପାଖକୁ । ଆଉ ମୁଁ । କେବେ ବି ମା’କୁ ଏକା ଯିବାକୁ ଦେଉ ନଥିଲି । ସବୁବେଳେ ମୁଁ ଯିଦି କରୁଥିଲି ସାଙ୍ଗରେ ଯିବା ପାଇଁ । ଆଉ ମା’ ବାଧ୍ୟ ହେଉଥିଲା ମୋତେ ନେଇକି ଯିବା ପାଇଁ । ମା’ ମୋତେ ସାଙ୍ଗରେ ନେବାକୁ ରାଜି ନ ହେବାର ଗୋଟିଏ କାରଣ ଥିଲା ମା’ ପାଖରେ ମୋ ପାଇଁ ଟିକେଟ୍‍ କରିବାକୁ ପଇସା ନ ଥିଲା । ବହୁ କଷ୍ଟରେ ନିଜ ପାଇଁ ଗୋଟିଏ ଟିକେଟ୍‍ ଗାଁରେ କାହା ପାଖରୁ ଧାର୍‍ କରି କରୁଥିଲା । ଫେରିଲାବେଳେ ବଡ଼ଭାଇଙ୍କ ପାଖରୁ ପଇସା ନେଇ ଆସି ଫେରେଇ ଦେଉଥିଲା ସେମାନଙ୍କୁ । କିନ୍ତୁ ମୋ ପାଇଁ ଟିକେଟ୍‍ କରିବା ସମ୍ଭବ ହେଇ ପାରୁନଥିଲା ଜମା । ସିଏ ଯାହା ବି ହେଉ ପ୍ରତିଥର ମୁଁ ଯିଦି କରୁଥିଲି ଆଉ ଯାଉଥିଲି; ବିନା ଟିକେଟ୍‍ ରେ । ଫେରିଲା ବେଳେ କିନ୍ତୁ ବଡ଼ଭାଇ ଟିକେଟ୍‍ କାଟି ଦେଉଥିଲେ ମୋର । ହାତ ଗୋଡ଼ ଲମ୍ବେଇ ବସି ଖୁସୀରେ ଫେରୁଥିଲି ।
ସେଥର ଭୋରରୁ ଭୋରରୁ ଉତ୍କଳ ଏକ୍ସପ୍ରେସ୍‍ ପହଞ୍ଚିଥିଲା ଯାଇ ଟାଟା ଷ୍ଟେସନ୍‍ ରେ । ଯାତ୍ରୀମାନେ ଓହ୍ଲେଇବାକୁ ଆରମ୍ଭ କରିଥିଲେ ଠେଲା ପେଲା ହୋଇ । ମା’ର କାନିଧରି ମୁଁ ବି ଓହ୍ଲେଇଥିଲି ସେଇ ଠେଲା ପେଲା ଭିତରେ । ସେଥର ବେଶ୍‍ ଲମ୍ବା ସମୟ ପରେ ଟାଟାନଗର ଯାଇଥିଲି ମୁଁ । ଓହ୍ଲେଇଲା ବେଳକୁ ଷ୍ଟେସନଟା ଟିକିଏ ନୂଆ ନୂଆ ଲାଗୁଥିଲା ମୋତେ । ଏଣୁ ଖୁସୀରେ ଏପଟକୁ ସେପଟକୁ ଦେଖି ଚାଲିଥିଲି । ହଠାତ୍‍ ମା’ ମୋତେ କାଖେଇ ନେଇଥିଲା । ସାତ କି ଆଠ ବର୍ଷ ହେବ ବୋଧହୁଏ ମୋତେ ସେତେବେଳେ, ଯାହା ମନେ ପଡୁଛି ମୋର । କାଖ ହେବାର ବୟସ ଆଉ ନ ଥିଲା ମୋର । ମା’ ମୋତେ ହଠାତ୍‍ କାଖେଇବାରୁ ଅଡୁଆ ଲାଗିଥିଲା ଭାରି । ଚିଡ଼ି ଯାଇଥିଲି ମୁଁ, “ଛାଡ୍‍ ମୋତେ ? ଏତେବଡ଼ ପିଲାଟା ହେଲିଣି ମୁଁ କ’ଣ ଚାଲିକି ଯାଇ ପାରିବିନି ? ତୁ ଛାଡ଼ିଲୁ । ମୁଁ କାଖ ହେବି ନାହିଁ । କାଟୁଛି ମୋତେ ।” ତଳକୁ ଓହ୍ଲେଇବା ପାଇଁ ଛାଟିପିଟି ହେଉଥିଲି ମୁଁ । ମା’ କିନ୍ତୁ ସେମିତି ଜାବୁଡ଼ିକି କାଖେଇ ଧରି ପାଦପକେଇ ଆଗକୁ ଚାଲିବାକୁ ଆରମ୍ଭ କରିଥିଲା ।
ସାମ୍ନାକୁ ଆସି ଛିଡ଼ା ହୋଇଥିଲା ଜଣେ କଳା କୋଟ୍‍ ପିନ୍ଧା ଲୋକ । ହାତ ଦେଖେଇ ଠିଆ ହେବାକୁ କହିଥିଲା ମା’କୁ ।
“ମା’ ଜୀ ଟିକେଟ୍‍ ଦିଖାଇୟେ ।” ହିନ୍ଦିରେ ମା’କୁ ଟିକେଟ୍‍ ମାଗିଥିଲା ଲୋକଟି ।
ମୋତେ ସେମିତି କାଖେଇ ଧରି ଲୁଗା କାନିରେ ବାନ୍ଧିଥିବା ଟିକେଟ୍‍ କାଢ଼ି ଦେଖେଇଥିଲା ମା’ ।
“ମୋତେ ଓହ୍ଲେଇ ଦେଇ ତୁ ତୋର ଟିକେଟ୍‍ କାଢ଼ି ଦେଖଉନୁ ?” ମୁଁ କହିଥିଲି ମା’କୁ ।
“ଚୁପ୍‍ ! ଜମା କଥା କହନା । ଇୟା ପାଖରୁ ଖସି ଯାଏ ଆଗେ ।” ଜାବୁଡ଼ି ଧରିଥିଲା ମା’ ମୋତେ ।
“ଆଉ ଝିଅର ?” ମା’ର ଟିକେଟ୍‍ ଦେଖୁ ଦେଖୁ ପଚାରିଥିଲା କଳା କୋଟ୍‍ ପିନ୍ଧା ଲୋକଟି ।
“ସିଏ ତ ଛୁଆଟା ତା’ର ଗୋଟେ ଟିକେଟ୍‍ କ’ଣ ।” ମୋତେ ଆଉ ଟିକିଏ ଜାକି ନେଇ କହିଥିଲା ମା’ ।
“ଏତେ ବଡ଼ ଦେଖାଯାଉଛି, ଛୁଆ କ’ଣ ? କାହିଁକି କାଖେଇଛ ତାକୁ ? ଓହ୍ଲାଅ, ତଳକୁ ଓହ୍ଲାଇ ଛିଡ଼ାକର ତାକୁ ।” କହୁକହୁ ଟଣାଟଣି ଆରମ୍ଭ କରି ଦେଇଥିଲା ମୋତେ କଳା କୋଟ୍‍ ପିନ୍ଧା ଲୋକଟି ।
ବାଧ୍ୟ ହେଇ କାଖରୁ ଓହ୍ଲେଇ ତଳେ ଛିଡ଼ା କରାଇଥିଲା ମୋତେ ମା’ ।
“ଇୟେ ଛୁଆ ? କେତେ ବର୍ଷ ଏକୁ ?” ଆହୁରି ବିରକ୍ତ ହେଇଯାଇଥିଲା ଲୋକଟି ।
“ଚାରି ବର୍ଷର ଝିଅ ମୋର !” କହିଥିଲା ମା’ ।
“ଏତେ ବଡ଼ ଝିଅଟା ! କହୁଛ କ’ଣ ନା’ ଚାରିବର୍ଷ? ୟାକୁ ସାତବର୍ଷରୁ କମ୍‍ ହେବନାହିଁ ।”
“ଛୁଆ ମୋର ନା’ ତମର? ମୁଁ ଜନ୍ମ କରିଛି ନା’ ତମେ ଜନ୍ମ କରିଛ ଏକୁ ?” ମା’ ବି କଡ଼ା ଉତ୍ତର ଦେବାକୁ ପଛେଇ ନ ଥିଲା ।
“କିଛି ଶୁଣିବାର ନାହିଁ । ପିଲାର ବୟସ ହୋଇଛି ଟିକେଟ୍‍ ଯଦି କରିନ ପଇସା ଦିଅ ।”
“ମୋ ପାଖରେ କିଛି ପଇସା ନାହିଁ । ଦେଖିଲ ନାହିଁ କାନିରେ ପରା ଖାଲି ଟିକେଟ୍‍ ଟା ବାନ୍ଧି ଥିଲି?”
“ଟିକେଟ୍‍ ବାବଦକୁ ପଇସା ଦିଅ, ନ ହେଲେ ଝିଅକୁ ଜମା ଛାଡ଼ିବି ନାହିଁ ।” କଡ଼ାକରି କହିଥିଲା ଲୋକଟି ଏବଂ ଜୋର୍‍କରି ଧରିନେଇଥିଲା ଗୋଟିଏ ହାତକୁ ମୋର ।
ଡରି ଯାଇଥିଲି ସେତେବେଳକୁ ମୁଁ । ଲୁହ ଟଳମଳ ହେଇ ଆସିଥିଲା ଆଖିରେ ।
ବଢ଼ି ଚାଲିଥିଲା ଯୁକ୍ତିତର୍କ ମା’ ଆଉ ଲୋକଟି ଭିତରେ ।
ବାରମ୍ବାର ଟିକେଟ୍‍, ଟିକେଟ୍‍ ଶବ୍ଦଟି ଶୁଣିଶୁଣି ବୁଝିଯାଇଥିଲି ମା’ ଆଉ ସେ ଲୋକଟି ଭିତରର କଥାକୁ । ବୁଝି ଯାଇଥିଲି ମା’ କାହିଁକି ମୋତେ ଜୋର ଜବରଦସ୍ତି କରି କାଖଉ ଥିଲା ।
“ଯଦି ନ ଛାଡ଼ିବ ତା’ହେଲେ ତମେ ଝିଅକୁ ରଖ । ପଇସା ତ ନାହିଁ କୋଉଠୁ ଦେଇପାରିବି ମୁଁ ? ମିଛ କହୁନାହିଁ ମୁଁ । ମୁଁ ଭାରୀ ଗରିବ ଲୋକ । ପାଖରେ ପଇସାଥିଲେ ତ ଝିଅର ଟିକେଟ୍‍ କାଟି ଆସିଥାନ୍ତି । ପଇସା ତ ନାହିଁ କ’ଣ କରିବି ?” ଶେଷ କଥା ଥିଲା ମା’ର ।
ମୋତେ ଛାଡ଼ି ବାହାର ଗେଟ୍‍ ଆଡକୁ ଆଗେଇ ଯାଇଥିଲା ମା’ ।
ଭେଁ ଭେଁ କାନ୍ଦି ତଳେ ଲୋଟିଥିଲି ମୁଁ । କାମୁଡ଼ା ଆମ୍ପୁଡ଼ା କରି ଆକ୍ତାମାକ୍ତା କରିଦେଇଥିଲି କଳା କୋଟ୍‍ ପିନ୍ଧା ଲୋକଟିକୁ । ତା’ର ଅବସ୍ଥା କହିଲେ ନ ସରେ ।
ମା’ କିନ୍ତୁ ଆଗେଇ ଯାଉଥିଲା ଷ୍ଟେସନ୍‍ ବାହାର ଆଡ଼େ ।
“ଓ ମା’ ଜୀ, ଲେ ଯାଇଏ ବେଟି କୋ… ନେଇଯାଅ… ନେଇଯାଅ… ତମ ଝିଅକୁ… ମୋତେ ମାରି ସାରିଲାଣି ତମ ଝିଅ…?” ପଛରୁ ଚିଲଉଥିଲା ଲୋକଟି । ଭାରି ବିକଳ ଅବସ୍ଥା ଥିଲା ତା’ର ।
ବୁଲି ଚାହିଁଥିଲା ପଛକୁ ମା’ । ଦଉଡ଼ି ଯାଇଥିଲି ମୁଁ ମା’ ପାଖକୁ । ପୁଣିଥରେ ମୋତେ କାଖେଇ ଦୁମ୍‍ଦମୁ୍‍ କରି ଆଗକୁ ଆଗେଇ ଚାଲିଥିଲା ମା’ ।
“ତୁ କାହିଁକି ମୋ ଟିକେଟ୍‍ କଲୁନାହିଁ ? ଖାଲି ନିଜର ଟିକେଟ୍‍ କରି ଟାଟା ଆସିବୁ । ଚାଲେ ମୁଁ ଭାଇଙ୍କୁ କହୁଛି ।” କାନ୍ଦିକାନ୍ଦି ମା’କୁ ମାରିମାରି କାଖରୁ ଓହ୍ଲେଇ ଚାଲିଥିଲି ମୁଁ ।
ବିତିଗଲାଣି ଇୟାଭିତରେ ବହୁତ ଗୁଡ଼ିଏ ବର୍ଷ । ଭୁଲି ନାହିଁ କିନ୍ତୁ ମୁଁ ସେଦିନର କଥା ।
ପ୍ରତିବର୍ଷ ଜୁଲାଇ ୨ ତାରିଖ ‘କାଦମ୍ବିନୀ’ର ଜନ୍ମ ଉତ୍ସବ ସାରି ଫେରିବା ପରେ ଭାଇ (ଡ. ଅଚ୍ୟୁତ ସାମନ୍ତ ) କହିଥାଏ ମା’କୁ;
“ମନେ ରଖିଛୁ ସେଦିନ ଯାହାର ଟିକେଟ୍‍ କରିବାକୁ ପାଖରେ ପଇସା ନ ଥିବାରୁ ଯାହାକୁ ଷ୍ଟେସନରେ ଛାଡ଼ି ଦେଇ ଆସୁଥିଲୁ, ସେହି ଝିଅଟି ଆଜି ଓଡ଼ିଶାର ସବୁଠୁ ଲୋକପ୍ରିୟ ପତ୍ରିକା ‘କାଦମ୍ବିନୀ’ର ସମ୍ପାଦିକା ଡ. ଇତି ସାମନ୍ତ ।”
ଜୀବନ ଏମିତି ବହୁତ ମୋଡ଼ରେ ନେଇ କେତେ କେତେଥର ଛିଡ଼ା କରିଛି । କିନ୍ତୁ ପୁଣି ହାତ ଧରି ଆଗକୁ ବାଟ କଢ଼େଇ ନେଇଛି ମଧ୍ୟ ।

Today, a very vivid memory came to my mind.
It was around the 70’s, at that time there were only a few trains to travel from Cuttack to Tata Nagar. To travel to Tata Nagar from our village Kalarabank, we had to go to Cuttack by bus from the village and catch the train for Tata Nagar from Cuttack station. My mother (Maa) often went to Tata Nagar, she had to go because my eldest brother and middle brother lived in Tata. As my father passed away in an untimely train accident, my eldest brother got a small job in the Tata Company in place of my father because my father was a small worker in the Tata company. So Maa used to visit my brothers time to time. I never let Maa go alone. I always forced on going with Maa and one of the reasons why Maa did not agree to take me with her was that she did not have the money to buy the ticket for me. She used to borrow money from someone in the village to buy the ticket for her with great difficulties. At the returning time, she used to take money from eldest brother and give it back to them. But it was not possible for her to get a ticket for me. Every time I was travelling with Maa without ticket. But on the way back, eldest brother always bought the tickets for me. I used to return happily sitting comfortably in the seat.
ONE DAY….
Utkal Express reached Tata station early that morning. The passengers began to disembark, pushing and shoving each other. I also got down with my mother. After a long time, I went to Tata Nagar. By the time I got off, the station seemed a bit new to me. So I looked here and there happily. Suddenly Maa took me in her arms. I might be seven or eight years old then. I was no longer small enough to be carried in Maa’s arms. I was feeling uncomfortable.
“Leave me? I am such a big girl, why can’t I walk on my own?” I was scrambling to get down.
Maa, however, started walking forward carrying me in her arms with confidence and power.

The next moment, a man wearing a black coat stood in front of us. “Maaji show me the tickets.” The man asked Maa for the ticket in Hindi.
Immediately Maa showed him the ticket still holding me by the arm.
“Will you let me down and take out your ticket?” I told Maa.
“Hush! Do not talk too much. Let the TT go away first.” Maa said.
Looking at my mother’s ticket, the TT asked, ‘And the daughter’s?’

“What’s the ticket for a small girl?” Maa said.

“But she is old enough to have a ticket, doesn’t she? Get down, get down” he said and he made me stand down. Maa was forced to get me down and stand on the ground.

“How old is she?” The TT was even more upset.

“She is only four-years-old!” Maa said.

“What? She looks older, you are telling four years only? She shall not be less than seven years old.” the TT said

“My daughter or yours? I know her age, How could you know?” Maa strongly replied.

“I can’t listen anything more. Pay the ticket for your daughter first. If you don’t have the ticket, give me some money for the tickets” the TT said with anger in his face.

“Sorry, I have no money with me.” Maa said.

“Pay the money for the ticket, or I will not leave your daughter.” The TT said sternly and forcefully grabbed one of my hands.
I was scared by that time. Tears welled up my eyes.

The heated argument between my Maa and the TT continued….
After repeatedly hearing the word ‘ticket, ticket’, I understood the situation and realized why Maa was forcing me to carry me in her arms.

“If you don’t leave, then you keep my daughter. I am very poor and I don’t have money. I am not lying.” The last thing Maa said.

Maa left me and went towards the outer gate.

I almost began lying on the ground and crying. Scratching and biting the TT. His condition became worse.

But Maa continued to lead outside of the station.

“O Maaji, le jaiye beti ko… Take the girl away….” the man started shouting from behind. He was in a very difficult situation.

Maa turned and looked back. I ran to Maa. Again Maa hugged me, took me to her arms and walked forward.

“Why didn’t you buy my ticket? Let me tell my brother.” I started crying and complaining to Maa.

Years passed…. So many changes have taken place over the years. So many hardships, ups and downs have been witnessed in this journey of life.
Every year on the 2nd of July, after celebrating the Foundation Day of The Kadambini, my brother ( @achyutasamanta.com ) tells Maa, “You remember on that day the girl whom you left at the station because you did not have money to pay for the ticket is now the most popular editor of the state, Dr. Iti Samanta.”
Life has taken so many twists and turns. But it has always paved the way forward.

1 thought on “ଇତି_କଥା”

  1. ସତରେ ଜୀବନ ରେ ଭୋଗୀ ଥିବା ଅନୁଭୂତି ଗୋଟିଏ ଗୋଟିଏ ଅଭୁଲା ସ୍ମୃତି। ତାଂକୁ ମୃତ୍ୟୁ ଯାଏଁ ଭୁଲି ହୁଏନାହିଁ। ଛାଡି ତଳର ଦରଦ ହେଇ ଦାଉ ଦାଉ ଜଳୁ ଥାଏ। ଖାଲି ଘାଆ ଉପରେ ବକଳ କରି ବଞ୍ଚିବାକୁ ହୁଏ। ଲେଖି ଚାଲ ଇତି ଭୋଗି ଥିବା ଜୀବନ ସ୍ମୃତି।

    Reply

Leave a Comment